
ନିରବୀ ଯାଇଛି ବସନ୍ତ
ଶୁଭୁନି କୋଇଲିର ସେ ସୁରିଲା ଗୀତ,
ଅଭିମାନୀ ପାଲଟିଛି ଶୀତ,
ଜରାବ୍ୟାଧିରେ ଜର୍ଜରିତ ଶରତ ।
ବର୍ଷାରେ ହଜିଛି ଶ୍ରାବଣ
ପକ୍ଷାଘାତରେ ସଢୁଛି ବେଙ୍ଗୁଲୀ ନାନି,
ନେପଥ୍ୟରୁ ଶୁଭୁଛି ପ୍ରକୃତିର ଉତ୍ପାତ
ସବୁଜ ବନାନୀର କ୍ଳାନ୍ତ ଅବୟବରେ
ଆଜି ଅସହାୟତାର ଗ୍ଳାନି ।
ନିଦାଘର ଝାଞ୍ଜିରେ ଜଳୁଛି ଜୀବନ
ବୃନ୍ତଚ୍ୟୁତ ପୁଷ୍ପର ଅଲୋଡା ମହକ
ଛୁଇଁ ପାରୁନି ଭ୍ରମିତ ଭ୍ରମରର ମନ,
ଶୁଷ୍କ ଜଳାଶୟର ଦୀପଦାଣ୍ଡିରେ
ଦିକ ଦିକ ଜଳୁଛି ହୁତାଶନର ବହ୍ନି
ସତେ ଯେମିତି ମନେହୁଏ
ଅବଶ୍ୟମ୍ଭାବୀ ଧ୍ଵଂସର ଏକ ବିଜ୍ଞାପନ ।
ଦିଗନ୍ତ ବିସ୍ତାରୀ ପୃଥିବୀର କୋହ
ତୁଟାଇ ସାରିଛି ବଞ୍ଚିବାର ସବୁ ମୋହ
ପଞ୍ଚ ମହାଭୁତଙ୍କ ବିକଟାଳ ନାଦରେ
ଥରି ଯାଉଛି ଆଜି ଏ ରକ୍ତ ମାଂସର ଦେହ ।
Post a Comment