
ଶୃଙ୍ଖଳିତ ଆଚରଣ, ଆପୋଷ ବୁଝାମଣା, କଠିନ ପରିଶ୍ରମ, ସାହସିକ ଏବଂ ହାସ୍ୟରସ ଇତ୍ୟାଦି ଗୁଣ ଅଧିକାଂଶ ସଫଳ ବ୍ୟକ୍ତିଙ୍କ ନିକଟରେ ନିହିତ ଥାଏ । ସର୍ବେକ୍ଷଣରୁ ଜଣାପଡିଛି ଅଧିକାଂଶ ରାଜନେତା, କ୍ରୀଡ଼ାବିତ୍, ମହିଳା ଏବଂ ବ୍ୟବସାୟୀଙ୍କ ନିକଟରେ ଏହି ଗୁଣ ଗୁଡିକ ଦେଖିବାକୁ ମିଳେ ।
ସଫଳ ବ୍ୟକ୍ତିମାନେ ସୁ-ସଂଗଠିତ, ଆତ୍ମ ଶୃଙ୍ଖଳିତ ଅଟନ୍ତି ଏବଂ ବିପୁଳ ଲୋକସମ୍ପର୍କର ଅଧିକାରୀ ହୋଇଥାନ୍ତି । ପ୍ରାୟତଃ ସେମାନେ ଏକ ସଂରକ୍ଷିତ ଶୃଙ୍ଖଳିତ ପରିବେଶରେ ପ୍ରତିପୋଷିତ । ସେମାନେ ଅନ୍ୟମାନଙ୍କୁ ସମ୍ମାନ କରନ୍ତି ଏବଂ ଅନ୍ୟମାନଙ୍କଠାରୁ ସମ୍ମାନକୁ କିପରି ଆପଣେଇବାକୁ ହୁଏ, ସେ ସୂତ୍ର ସେମାନେ ଭଲ ଭାବରେ ଜାଣନ୍ତି । ସେମାନେ ବିଶ୍ୱସ୍ତତାର ମହତ୍ତ୍ୱ ଭଲଭାବରେ ବୁଝିଥାନ୍ତି ଏବଂ ଅନ୍ୟମାନଙ୍କଠାରୁ ବିଶ୍ୱସ୍ତତା ଆବଶ୍ୟକ କରନ୍ତି ।
ସଫଳ ବ୍ୟକ୍ତିମାନେ କେବେ ହେଲେ କୌଣସି କ୍ଷେତ୍ରରେ ଅଧା ପନ୍ତରିଆ ପଦକ୍ଷେପ ଗ୍ରହଣ କରନ୍ତି ନାହିଁ । କେବେବି ନିଜର ଅକ୍ଷମତାକୁ ସହ୍ୟ କରି ପାରନ୍ତି ନାହିଁ । ସେମାନେ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତି । ସେମାନଙ୍କ ଚାରିପାଖରେ ଥିବା ସମାଜରେ ନ୍ୟାୟ ଏବଂ ସଠିକତା ଦାବି କରନ୍ତି । ପ୍ରତ୍ୟେକ ପରିସ୍ଥିତିରେ ସେମାନେ ନିଜ ଲକ୍ଷ୍ୟ ହାସଲ ଦିଗରେ ଚେଷ୍ଟିତ ରୁହନ୍ତି । କଠିନ ପରିଶ୍ରମ କରିବାର ଇଚ୍ଛା ସେମାନଙ୍କ ନିକଟରେ ଥାଏ । କୌଣସି କାର୍ଯ୍ୟରେ ସେମାନେ ବିରକ୍ତ ନ ହୋଇ ସମାଲୋଚନାକୁ ଗ୍ରହଣ କରିବାକୁ ପସନ୍ଦ କରନ୍ତି । ଏଥି ନିମନ୍ତେ ସେମାନଙ୍କ ନିକଟରେ ଦୃଢ ବିଶ୍ଵାସ ଓ ଇଚ୍ଛାଶକ୍ତି ଥାଏ । ସାହସ ଏବଂ ଦୂରଦୃଷ୍ଟି ପାଇଁ ସେମାନେ କୌଣସି ବି ପ୍ରତିବନ୍ଧକକୁ ଖୁବ ସହଜରେ ସାମନା କରି ପାରନ୍ତି ଏବଂ ସମାଧାନର ସୂତ୍ର ବାହାର କରିବାରେ ସକ୍ଷମ ହୁଅନ୍ତି ।
ଅଧିକାଂଶ ସଫଳ ବ୍ୟକ୍ତିମାନେ ସାଧାରଣତଃ କୌତୁକିଆ ସ୍ଵଭାବର ଅଟନ୍ତି । କୌଣସି ପରିସ୍ଥିତିରେ ଅଯଥା ଚାପଗ୍ରସ୍ତ ନହୋଇ ଚତୁରତାର ସହ ଅନେକ କଠିନ ପରିସ୍ଥିତିକୁ ଦୂର କରିବାରେ ସଫଳ ହୁଅନ୍ତି ।
Post a Comment