
ମଙ୍ଗଳାଯୋଡି ଚିଲିକା ହ୍ରଦର ଉତ୍ତର-ପଶ୍ଚିମ ସୀମାନ୍ତରେ ଥିବା ଏକ ଛୋଟ ଗାଁ ଟିଏ । ଏହି ସ୍ଥାନର ପରିବେଶ ଏବଂ ଜଳବାୟୁ ପକ୍ଷୀ ମାନଙ୍କ ନିମନ୍ତେ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଦେଶର ବିଭିନ୍ନ ସ୍ଥାନ ତଥା ଦେଶ ବାହାରୁ ଏଠାକୁ ଆସନ୍ତି । ତେଣୁ ଏହି ସ୍ଥାନଟିକୁ ପକ୍ଷୀ ମାନଙ୍କର ସ୍ଵର୍ଗ ଭାବେ ବିବେଚନା କରାଯାଏ । ବିଶେଷ କରି ଶୀତ ଋତୁ କଟାଇବା ନିମନ୍ତେ ପକ୍ଷୀ ମାନେ ଏଠାକୁ ଅନେକ ଦୂର ସ୍ଥାନରୁ ଆସିଥାନ୍ତି । ଆମ ଦେଶର ହିମାଳୟ ଅଞ୍ଚଳ ତଥା ଦେଶ ବାହାରୁ ଏପରିକି ମଧ୍ୟ ଏସିଆ ଅଞ୍ଚଳ ଓ ୟୁରୋପ ମହାଦେଶରୁ ଭିନ୍ନ ଭିନ୍ନ ପକ୍ଷୀ ମାନେ ଅନେକ ବିପଦପୂର୍ଣ୍ଣ ଯାତ୍ରା କରି ଏଠାରେ ପହଞ୍ଚିଥାନ୍ତି । ଏଠାରେ ଥିବା ସମୃଦ୍ଧ ଆର୍ଦ୍ରଭୂମି ଶୀତ ଋତୁରେ ସେମାନଙ୍କ ନିମନ୍ତେ ବେଶ ଅନୁକୂଳ ପାଲଟି ଯାଇଥାଏ । ପକ୍ଷୀମାନେ ଏହି ଆର୍ଦ୍ରଭୂମିରେ ଖୁସିରେ ବିଚରଣ କରିବା ସହିତ ମନଭରି ଖାଦ୍ୟ ଖାଇବାର ସୁଯୋଗ ପାଇଥାନ୍ତି । ଶୀତଦିନେ ଏହି ସ୍ଥାନଙ୍କୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ତଥା ଗବେଷକ ମାନଙ୍କର ଭିଡ ଛୁଟେ । ଏଠାରେ ଥିବା ବିସ୍ତ୍ରୁତ ଜୈବମଣ୍ଡଳ ଗବେଷକ ଓ ଛାତ୍ରମାନଙ୍କୁ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବିସ୍ତ୍ରୁତ ଖୋରାକ ଯୋଗାଇଥାଏ । ଏଠାରେ ଲକ୍ଷ ଲକ୍ଷ ପକ୍ଷୀମାନଙ୍କର ସମାଗମ ହେଉଥିବାରୁ ଆନ୍ତର୍ଜାତିକ ବାର୍ଡ ଲାଇଫ ସଂଗଠନ ଏହି କ୍ଷେତ୍ରକୁ ପକ୍ଷୀ ଅଭାୟାରଣ୍ୟର ମାନ୍ୟତା ପ୍ରଦାନ କରିଛନ୍ତି ।

ଏହି ସ୍ଥାନପ୍ରତି ପକ୍ଷୀମାନଙ୍କର ଆକର୍ଷଣକୁ ଲକ୍ଷ୍ୟକରି ୨୦୦୦ ମସିହା ପରଠାରୁ ଏଠାରେ ଇକୋ-ଟୁରିଜିମ ପ୍ରକଳ୍ପମାନ ଗଢି ଉଠିଛି । ଏହାପୂର୍ବରୁ ଏହି କ୍ଷେତ୍ରରେ ଚାଲିଆସୁଥିବା ଅବାଧ ପକ୍ଷୀଶିକାର ବନ୍ଦ କରିବା ନିମନ୍ତେ ସମ୍ପୃକ୍ତ ପକ୍ଷୀ ଶିକାରୀ ମାନଙ୍କୁ ସଚେତନ କରାଯାଇ ପକ୍ଷୀ ଶିକାରକୁ ରୋକା ଯାଇପାରିଛି । ବିଦେଶାଗତ ପକ୍ଷୀମାନଙ୍କୁ ଅତିଥିତୁଲ୍ୟ ବିଚାର କରି ସେମାନଙ୍କ ଆଦର ଅଭ୍ୟର୍ଥନା ନିମନ୍ତେ ଏହି ଗ୍ରାମର ଜନସାଧାରଣ ନିଜକୁ ଉତ୍ସର୍ଗ କରି ସାରିଛନ୍ତି । ସି.ଡି.ଏ. ଏବଂ ପର୍ଯ୍ୟଟନ ନିର୍ଦ୍ଦେଶାଳୟ ସହଯୋଗରେ ଏଠାରେ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ "ଇକୋ ଗାଇଡ" ମାନଙ୍କୁ ସୃଷ୍ଟି କରାଯିବା ସହ ବାର୍ଡ ୱାଚ ଟାୱାର, ଜେଟି, ବିହଙ୍ଗ ଭବନ ଓ ପ୍ରକୃତି ନିବାସ ଆଦି ନିର୍ମାଣ କରା ଯାଇପାରିଛି । ଏହି ସ୍ଥାନଟି ଆନ୍ତର୍ଜାତିକ ପକ୍ଷୀ ଅଭୟାରଣ୍ୟ ଭାବେ ସୁନାମ ଅର୍ଜନ କରିବା ସହିତ ପୃଥିବୀ ମାନଚିତ୍ରରେ ମଙ୍ଗଳାଯୋଡିର ସ୍ଵତନ୍ତ୍ର ପରିଚୟକୁ ପ୍ରତିପାଦିତ କରିପାରିଛି ।
Post a Comment