
ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ ଭିତରୁ ଭୂରି ଭୋଜନ ସାରି ବାହାରକୁ ବାହାରି ଆସୁଥାଏ ମୁଁ । ବାହାରପାର୍ଶ୍ଵରେ ହାତପାତି ଠିଆ ହୋଇଥାଏ ଆଠ କି ନଅ ବର୍ଷର ନିରୀହ ଝିଅଟିଏ । ସାତ ସିଆଁ ଫ୍ରକଟିଏରେ ଆବୃତ୍ତ ଶରୀରଟି ତା’ ଦାରିଦ୍ର୍ୟର ଅସହାୟତାକୁ ଖୁବ ସହଜରେ ପ୍ରମାଣିତ କରୁଥାଏ । ବିଳାସ ବ୍ୟସନ ଜୀବନ ବିତାଉଥିବା ମଣିଷଗୁଡାକ ରେଷ୍ଟୁରାଣ୍ଟ ଭିତରେ ଭୂରି ଭୂରି ଭୋଜନରେ ନିଜକୁ ଆପ୍ୟାୟିତ କରି ଫେରିଯାଉଥାନ୍ତି ନିଜ ନିଜ ରାସ୍ତାରେ । କାହାର ବି ନିଘା ନଥାଏ ପେଟ ଚାଖଣ୍ଡକ ପାଇଁ ହାତପାତି ଠିଆ ହୋଇଥିବା ଏହି କୋମଳମତି ଝିଅଟି ଆଡକୁ । ସେମାନଙ୍କ ମଧ୍ୟରୁ କିଏ ଅବା କେହି ଦୟାଳୁ ବ୍ୟକ୍ତି ଝିଅଟି ହାତରେ ଟଙ୍କେ ଦୁଇଟଙ୍କା ଧରେଇ ଦେଇ, ଯେମିତିକି କୋଟିପୂଣ୍ୟ କରିବାର ଭାବନାକୁ ସାଉଁଟି ସାଉଁଟି ଚାଲି ଯାଉଥାଏ ତା’ବାଟରେ ।
ଆଉ ମୁଁ ବି କିଛି କମ ନଥିଲି ଏଭଳି ପୂଣ୍ୟ ସାଉଁଟିବାରେ । ମୋ ପୁଅ ପାଇଁ ହାତରେ ଧରିଥିବା ଖାଦ୍ୟ ପାର୍ସଲଟି ଝିଅଟିର ହାତକୁ ବଢେଇ ଦେଇ, ଆଉ ଗୋଟିଏ ପାର୍ସଲ ଅର୍ଡର କରିବାକୁ ପୁନର୍ବାର ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କଲି । ଏବଂ ରେଷ୍ଟୁରାଣ୍ଟ ଭିତରୁ ବାହାରି ଆସିଲାବେଳକୁ ସେ ଝିଅଟି ଆଉ ସେଠାରେ ନଥିଲା । ବୋଧହୁଏ ଆଜି ପାଇଁ ତା’ ପେଟ ଚାଖଣ୍ଡକର ଭୋକ ମେଣ୍ଟି ଯାଇଛି । ମନଟା ମୋର ଆଦୌ ବୁଝୁ ନଥାଏ । ପ୍ରଗତିର ଏଭଳି ନଗ୍ନ ରୂପ ମତେ ଖୁବ ବିଚଳିତ କରୁଥାଏ । ମୁଁ କେବଳ ନିଜକୁ ଲଜ୍ଜିତ ଆଉ ଅସହାୟ ମନେ କରୁଥିଲି.. ।
Post a Comment