ଦୃଷ୍ଟି ଆଢୁଆଳରେ ପର୍ବତ ଘେରା ଅଞ୍ଚଳ 'ମାଳ ତାରିଣୀ' ପୀଠ ଏବଂ ସବୁଜ ଜଙ୍ଗଲ-ଝରଣା ଓ ପାହାଡ଼ି ଗୁମ୍ଫାର ଆକର୍ଷଣ

ଖୋରଧା ଜିଲ୍ଲାର ବାଣପୁର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ "ମାଳ ତାରିଣୀ" ଠାକୁରାଣୀ ପୀଠ ହେଉଛି ସ୍ୱଳ୍ପ ଜଣାଶୁଣା ପର୍ଯ୍ୟଟନ ସ୍ଥଳ । ମନୋରମ ପ୍ରାକୃତିକ ପରିବେଶ ଓ ପାହାଡ ପର୍ବତ ଘେରା ଅଞ୍ଚଳ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏହି ଅଞ୍ଚଳ ତାରିଣୀ ଖୋଲ ନାମରେ ମଧ୍ୟ ପରିଚିତ । ଓଡିଆରେ "ମାଳ" ଅର୍ଥ ହେଉଛି ପ୍ରାକୃତିକ ଜଙ୍ଗଲ ଘେରା ପାହାଡିଆ ଅଞ୍ଚଳ । ତେଣୁ ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ "ମାଳ ତାରିଣୀ" ନାମରେ ଜଣାଶୁଣା ।  ଏଠାରେ ଘେରି ରହିଥିବା ସବୁଜ ଜଙ୍ଗଲ, ଝରଣା, ପ୍ରାଚୀନ ପାହାଡ଼ି ଗୁମ୍ଫା ଆଦି ଦର୍ଶକ ମାନଙ୍କୁ ଅନେକ ଆନନ୍ଦ ପ୍ରଦାନ କରିଥାଏ । ଏହି ଅଞ୍ଚଳର ଅବସ୍ଥିତି ପର୍ଯ୍ୟଟକ ମାନଙ୍କ ବ୍ୟତୀତ ଜୀବ ବିଜ୍ଞାନୀ, ପ୍ରକୃତି ପ୍ରେମୀ ଓ ବନ୍ୟଜନ୍ତୁ ଅନୁସନ୍ଧାନକାରୀ ମାନଙ୍କୁ ସେମାନଙ୍କ ଗବେଷଣା ନିମନ୍ତେ ଅନେକ ଖୋରାକ ଯୋଗାଇଥାଏ । ମାଳ ତାରିଣୀ ନିକଟସ୍ଥ ଗ୍ରାମର ନାମ ହେଉଛି ଅରାଙ୍ଗ । ବାଣପୁର ବ୍ଲକ ଅନ୍ତର୍ଗତ ଧୂଆଁନଳୀ, ତମନା ଏବଂ ବାଙ୍କଡ ଆଦି ରିଜର୍ଭ ଫରେଷ୍ଟ ଗୁଡିକ ଏହି ଅଞ୍ଚଳକୁ ଘେରି ରହିଛି । ତାରିଣୀ ଖୋଲ ନିକଟରେ ଦୁଇଗୋଟି ପାହାଡି ଝରଣା ରହିଛି । ଏହି ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଦେଖାଯାଏ । ଏଠାରେ ବସବାସ କରୁଥିବା ଲୋକମାନେ ବିଭିନ୍ନ ଗଛ, ଲତା, ଚେର ଓ ମୂଳ ଆଦି ଚିହ୍ନଟ କରି ଭିନ୍ନ ଭିନ୍ନ ରୋଗର ଉପଶମ ନିମନ୍ତେ ବ୍ୟବହାର କରିଥାନ୍ତି । ଏଠାରେ ବିଭିନ୍ନ ବନ୍ୟଜନ୍ତୁ ମାନଙ୍କ ମଧ୍ୟରେ ସମ୍ବର, ବଣୁଆ ଘୁଷୁରୀ, ଚିତାବାଘ, ଭାଲୁ, ବଣୁଆ ହରିଣ ଏବଂ ପଥର ପାଇଥନ୍ ଆଦି ଜୀବଜନ୍ତୁ ମାନେ ଅଧିକ ଦେଖାଯାନ୍ତି । ପର୍ଯ୍ୟଟକ ମାନଙ୍କୁ ନିକଟସ୍ଥ ପାହାଡ ଗୁଡିକ ଉପରେ ଭ୍ରମଣ କରିବାର ଆନନ୍ଦ ମଧ୍ୟ ମିଳିଥାଏ । ମାଳ ତାରିଣୀ ମାଆଙ୍କ ମନ୍ଦିର ସଲଗ୍ନ ଜଳାଶୟରେ ହଂସ ଓ ହଂସିନୀଙ୍କ ଜଳକ୍ରୀଡା ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ ଅନୁଭବ ହୁଏ ।




1 Comments

Post a Comment

Post a Comment

Previous Post Next Post